14/08/2014
ତୁମେ ଚାହିଁ ଥିଲ ବୋଲି
୧.
ମୁଁ ହେବି ସ୍ଵାଧୀନ ସେଇଦିନ,
ଜାତୀୟ ପତାକା ଉଡାଇବେ ସବୁଜନ,
ଦଙ୍ଗା-ଦଙ୍ଗା ଚିତ୍କାର କରୁଥିବା ନେତାଗଣ,
ମନ୍ଦିରେ, ମସଜିଦେ, ଚର୍ଚ୍ଚେ, ଗୁରୁଦ୍ଵାରେ ସେହିଜଣ,
ଜାତୀୟ ପତାକା କରିବେ ଉତ୍ତୋଳନ,
କହୁଥିବେ ଜୟ ଯବାନ, କିଷାନ,
ବିଜ୍ଞାନର ପୁଣି ଜୟ ଗାନ,
ସ୍ଵାଧୀନ ମୁଁ ହେବି ସେଇଦିନ
ନୋଟ ରେ ନଥିବ ଗାନ୍ଧୀ ଚିହ୍ନ
ଭୋଟରେ ନଥିବ ଦଳ ଚିହ୍ନ
ରେଳରେ ନଥିବ ଦୁଃଖୀ ଚିହ୍ନ
ସେବାରେ ନଥିବ ଜାତି ଚିହ୍ନ
ନଥିବ ଧର୍ମ ଓ ଲିଙ୍ଗ ଚିହ୍ନ
ହେବି ମୁଁ ସ୍ଵାଧୀନ ସେଇଦିନ
୨.
ତୁମେ ଶୋଇଛ ତ
ଶୋଇଯାଅ
ଶାନ୍ତିରେ
ଶୋଇଥାଅ
ବର୍ଷ ବର୍ଷ ର ସଂଘର୍ଷ ପରେ
ଏବେ ମିଳିଛି ସ୍ଵାଧୀନତା
କହିବାକୁ ତ କେହି ନାହିଁ
କାହିଁକି ଶୋଇଛ ବୋଲି
ମୁଁ ତୁମ ଦୁଃଖିନୀ ମା ଡାକୁଛି
ତୁମର ଶୋଇବା ଭିତରେ
ସ୍ଵପ୍ନରେ ହେଲେବି ଦେଖଥରେ
ସେଦିନର ଶିକୁଳି ଆଜିବି ଝୁଲୁଛି
ସେଦିନ ଲଢୁଆ ପୁଅଥିଲେ ବୋଲି
ପ୍ରାଣ ଦେଇ ମାନ ରଖିଗଲେ
ଆଜିର ପୁଅ ତ ମୋତେ ପାଗଳୀ ଭାବୁଛି
ପାଗଳୀର ପାଦେ ଶିକୁଳି ଝୁଲିଲେ
ଅଯୋଗ୍ୟ ପୁଅଟା କହୁଛି
ମାଆ କୁ ମୁଁ ବାନ୍ଧି ରଖିଛି
ତାକୁ ଆଉ କିଏ କାହିଁକି ବାନ୍ଧିବ
ସ୍ଵାଧୀନ ପରା ସେ ହୋଇଛି
ମାଆ କୁ ମୁଁ ବାନ୍ଧି ରଖିଛି
୩.
ମାଆ,
ମାଉଣ୍ଟବ୍ୟାଟେନ ଗଲାଣି
୬୭ ବର୍ଷ ପରେ
ଆଜି ତୁମକୁ ଏ ଚିଠି ଲେଖେ
ପଢିବ କି ମୋ ଚିଠି ତୁମେ?
ସୁଭାଷ କୁ ପଠାଅ
୬୭ ବର୍ଷ ପରେ
ସେ କି ଭାଷଣ ଦେବ
ସୁପ୍ତ ଯୁବା ତେଜିବ?
ବିବେକାନନ୍ଦ କୁ ପଠାଅ
ସେ କି ଭାଷଣ ଦେବ
ଆଗକୁ ଚାଲିବ ନିଦ୍ରାଶକ୍ତ ଯୁବା?
ଗାନ୍ଧୀକୁ ପଠାଅ
ସେ କି ଭାଷଣ ଦେବ
ନିଶା ଛାଡିବେ ଯୁବା?
କାହାକୁ ଆଜି ରାତିରେ ଛାଡନା
ଗାଢ ନିଦରେ ଶୋଇଛି ଯୁବା
ଆଜି ନ୍ୟୁ ୟାର ତ ନୁହେଁ
ଆଜି କଣ ଶୋଇବା ମନା?
ନା ମାଆ
ତୁମେ ଏ ଚିଠି ପଢନା
ଏଇଟା ଫରୁଆଡ କରିଦିଅ
ଟେଣ୍ଟବାଲା ପାଖକୁ
ସେ ଶୋଇଗଲେ
କାଲିକା ପ୍ୟାରେଡ଼,
ନେତାଙ୍କ ଭାଷଣ,
ଅଫିସରଙ୍କ ଟାଣ,
ସବୁ ସରିଯିବ
ଆଜି ରାତିଟା ସେ ଗାନ୍ଧୀ, ସୁଭାଷ, ବିବେକାନନ୍ଦ ର ଦେଖୁ ପ୍ରତିଛବି
ପଠାଅ ସେମାନଙ୍କୁ ତା ପାଖକୁ ଟ୍ୟୁସନ କରିତେ
କାଳେ କିଛି
ସେମିତି ଗୀତ କି ଭାଷଣ ଶୁଣାଇବ ସମସ୍ତଙ୍କୁ
ଆଉ ସମସ୍ତେ ଲେଖିବେ କିଛି ତୁମ ପାଖକୁ
ଏବେ ରାତିରେ ନହେଲେବି ଆଜି ରାତି ବେଳକୁ